Unknown

 

 

 

 

 

 

 

 

 

 

 

ଆଜିର ମଣିଷ

ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ

 

ପରିଚୟ :

 

ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚିତ ଉପନ୍ୟାସ 'ଆଜିର ମଣିଷ' ଓଡ଼ିଆ ସାହିତ୍ୟରେ ଏକ ଅନୁପମ ସୃଷ୍ଟି । ପୁସ୍ତକଟି କେବଳ ଏକ କାହାଣୀ ନୁହେଁ, ବରଂ ଏକ ଦର୍ଶନ । ଏହା ମଣିଷର ଅନ୍ତଃସଂଘର୍ଷ ଏବଂ ପରିବର୍ତ୍ତନଶୀଳ ଦୁନିଆର ଏକ ସ୍ୱଚ୍ଛ ଦର୍ପଣ ।

 

ଲେଖକ ଏହି ଉପନ୍ୟାସର ଆରମ୍ଭରେ ହିଁ ମଣିଷର ଏକ ଚିରନ୍ତନ ସତ୍ୟକୁ ଉନ୍ମୋଚନ କରିଛନ୍ତି,ଯେ ସଂସାରରେ ସବୁକିଛିର ଏକ ପରମାୟୁ ଅଛି, କିନ୍ତୁ ମଣିଷର ମନ ନିଜକୁ କେବେବି ପୁରୁଣା ବୋଲି ମାନିବାକୁ ନାରାଜ । ଏହି ଉପନ୍ୟାସଟି ଆମକୁ ସେହି ଅତୀତ ଓ ବର୍ତ୍ତମାନର ସନ୍ଧିସ୍ଥଳରେ ଛିଡ଼ା କରାଏ, ଯେଉଁଠାରେ ଆମେ ନିଜେ ନିଜକୁ ପ୍ରଶ୍ନ କରିବାକୁ ବାଧ୍ୟ ହେଉ ଯେ—ଆମେ ପ୍ରକୃତରେ କିଏ? ଆମେ କ’ଣ ସେହି ପୁରୁଣା ପରମ୍ପରାର ଅଂଶ, ନା ଆମେ ଆଧୁନିକତାର ପବନରେ ଭାସି ଯାଉଥିବା ନୂଆ ମଣିଷ ?

 

ପୃଷ୍ଠଭୂମି :

 

ଦେଶର ସ୍ୱାଧୀନତା ପ୍ରାପ୍ତିପାଇଁ ବ୍ୟାଗ୍ରତା ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ଘନଘଟାର ଆତଙ୍କ ଏହି ଉପନ୍ୟାସର ପୃଷ୍ଠଭୂମି । କାହାଣୀଟି ଦୁଇଟି ଭିନ୍ନ ଜଗତରେ ଆଧାରିତ । ଗୋଟିଏ ପଟେ ଅଛି ଓଡ଼ିଶାର ଏକ ନିପଟ ମଫସଲ ଗାଁ 'ନୟନଗଡ଼' ଓ 'ଦଶରଥପୁର' । ଅନ୍ୟପଟେ ଅଛି ବିରାଟ ଜନସମୁଦ୍ରର ମହାନଗରୀ କଲିକତା । ତତକାଳୀନ ସାମାଜିକ ପରିବେଶକୁ ଲେଖକ ଅତି ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି । ଗାଁମାନଙ୍କରେ ସ୍ୱାଧୀନତାର ଏକ ନୂଆ ପବନ ବୋହୁଥିଲେ ବି ପୁରୁଣା ମତିଗତି ସହଜେ ବଦଳୁ ନଥିଲା । ଝିଅମାନେ ପଢ଼ାଶୁଣା କରିବା ବା ବାହାରକୁ ଗୋଡ଼ କାଢ଼ିବାକୁ ସମାଜ ସେତେବେଳେ ସହଜରେ ଗ୍ରହଣ କରିପାରୁ ନଥିଲା । ଯୁଦ୍ଧ କାରଣରୁ ସହରମାନଙ୍କରେ ସବୁ ଜିନିଷର ଅଭାବ, ଚିନି-କିରାସିନି ପାଇଁ ଲୋକଙ୍କ ହାହାକାର ଏବଂ ଆକାଶରୁ ବୋମା ପଡ଼ିବାର ଭୟରେ ଲୋକେ ସହର ଛାଡ଼ି ଗାଁକୁ ପଳାଇ ଆସିବାର ସେହି ଅସ୍ଥିର ଚିତ୍ର ଉପନ୍ୟାସରେ ଜୀବନ୍ତ ହୋଇଉଠିଛି । ପୁଣି ହିନ୍ଦୁ-ମୁସଲମାନ ଦଙ୍ଗାରେ କଲିକତା ରାସ୍ତାରେ ବୋହିଯାଉଥିବା ରକ୍ତର ସେହି ଦାରୁଣ ପରିପ୍ରେକ୍ଷ୍ୟ ପାଠକକୁ ମଣିଷର ହିଂସ୍ରତା ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରେ । ଏହି ସମସ୍ତ ଘଟଣାବଳୀ ମଧ୍ୟରେ ନିଜର ଆତ୍ମସମ୍ମାନ ଓ ଅସ୍ତିତ୍ୱ ପାଇଁ ମଣିଷ ସଂଗ୍ରାମ ହିଁ ଉପନ୍ୟାସର ମୂଳଦୁଆ ।

 

ପ୍ରମୁଖ ପାତ୍ରମାନେ :

 

ଏକାଧିକ ଚରିତ୍ର ଏହି ଉପନ୍ୟାସକୁ ଗତିଶୀଳ କରାଇବାରେ ସମର୍ଥ ହୋଇଛନ୍ତି । ଉପନ୍ୟାସର ମୁଖ୍ୟଚରିତ୍ର ଦିବାକର ଜଣେ ଶିକ୍ଷିତ ଯୁବକ । ପାରିବାରିକ ଅସନ୍ତୋଷ ଓ ନିଜ ଗ୍ରାମର ଉନ୍ନତି କରିବାରେ ବଫଳତା ତାଙ୍କ କଲିକତା ଯାଇ ସେନାଛାଉଣୀ ଠିକାଦାର ଭାବରେ ଧନ ଅର୍ଜନ କରିବାର ସୁଯୋଗ ଦିଏ ଓ ପରେ ସେ ମଦ୍ୟପ ପାଲଟିଯାଆନ୍ତି ।

 

ଦିବାକର: ଏହି ଉପନ୍ୟାସର ମୁଖ୍ୟ ପାତ୍ର ତଥା କାହାଣୀର ବର୍ଣ୍ଣନାକାରୀ। ସେ ଜଣେ ଆଧୁନିକ ଶିକ୍ଷିତ ଯୁବକ (ଆଇ.ଏ ଫେଲ୍), କିନ୍ତୁ ଭିତରୁ ସେ ଅତୀତର ସ୍ମୃତି ଓ ମୋହରୁ ମୁକ୍ତ ହୋଇପାରି ନାହାନ୍ତି ସେ ନିଜ ଗାଁର ଉନ୍ନତି ପାଇଁ ଚେଷ୍ଟା କରି ବିଫଳ ହୁଅନ୍ତି ଏବଂ ପାରିବାରିକ ଅଶାନ୍ତି ଯୋଗୁଁ କଲିକତା ଚାଲିଯାନ୍ତି । ସେଠାରେ ସୈନ୍ୟଛାଉଣୀ କଣ୍ଟ୍ରାକ୍ଟର ଭାବେ ଧନ ଅର୍ଜନ କରନ୍ତି ଓ ମଦର ନିଶାରେ ନିଜକୁ ହଜାଇ ଦିଅନ୍ତି । ଶେଷରେ ଉଷା ଓ ଗୌରୀଙ୍କ ପ୍ରଭାବରେ ସେ ନିଜର ଭୁଲ୍‍ ବୁଝିପାରନ୍ତି ଓ ପରିବାର ପାଖକୁ ଫେରିଆସନ୍ତି ।

 

ସାବିତ୍ରୀ : ଦିବାକରଙ୍କ ସ୍ତ୍ରୀ ଏବଂ ନୟନଗଡ଼ର ପ୍ରତିଷ୍ଠିତ 'ଦଳବେହେରା' ବଂଶର ଝିଅ । ପ୍ରଥମେ ଜଣେ ସାଧାରଣ ଓଢ଼ଣାବତୀ ବୋହୂ ଥିଲେ ମଧ୍ୟ ପରେ ସେ ବାଲ୍ୟବାନ୍ଧବୀ ଗୌରୀର ସାହଚର୍ଯ୍ୟରେ ଜଣେ ସାହସୀ ଓ ଦୃଢ଼ମନା ନାରୀରେ ପରିଣତ ହୁଅନ୍ତି । ସେ ସ୍ୱାମୀଙ୍କ ଅନୁପସ୍ଥିତିରେ ଗାଁରେ ମହିଳାମାନଙ୍କୁ ଶିକ୍ଷିତ କରିବା ଓ ଆତ୍ମନିର୍ଭରଶୀଳ କରିବାରେ ନେତୃତ୍ୱ ନିଅନ୍ତି ଏବଂ ଏଥିପାଇଁ ଶାରୀରିକ ଆକ୍ରମଣର ମଧ୍ୟ ଶିକାର ହୁଅନ୍ତି ।

 

ଗୌରୀ: ସାବିତ୍ରୀର ବାଲ୍ୟବାନ୍ଧବୀ ଏବଂ ଉପନ୍ୟାସର ଏକ ପ୍ରେରଣାଦାୟୀ ଚରିତ୍ର । ସେ ଉଚ୍ଚଶିକ୍ଷିତା, ନିର୍ଭୀକ ଏବଂ ସମାଜ ସଂସ୍କାରକ ମହିଳା । ସେ ଦେଶ ଓ ସମାଜ ପାଇଁ ନିଜକୁ ଉତ୍ସର୍ଗ କରନ୍ତି, ଦିବାକରଙ୍କୁ ତାଙ୍କର କର୍ତ୍ତବ୍ୟ ମନେ ପକାଇ ଦିଅନ୍ତି ଓ ସାବିତ୍ରୀକୁ ନୂଆଜୀବନ ଦିଅନ୍ତି ।

 

ତୁହିନ: ଡାକ୍ତର ବିଧୁଶେଖରଙ୍କ ପୁଅ ଏବଂ ଗୌରୀଙ୍କ ଅତି ନିକଟତର ବନ୍ଧୁ । ସେ ଜଣେ ଚିନ୍ତାଶୀଳ ଓ ଆଧୁନିକ ଯୁବକ । ଯୁଦ୍ଧ ସମୟରେ ଅଧିକ ଶିକ୍ଷା ପାଇଁ ଆମେରିକା ଯାଇ ଫେରିବା ବାଟରେ ଜାହାଜ ବୁଡ଼ିଯିବା ଫଳରେ ତାଙ୍କର ଅକାଳ ମୃତ୍ୟୁ ଘଟେ। ଗୌରୀର ବ୍ୟକ୍ତିଗତ ଜୀବନରେ ତୁହିନଙ୍କ ମୃତ୍ୟୁ ବଡ଼ ଦୁଃଖଦ ।

 

ଉଷା: ଗାଁର ଜଣେ ସାଧାରଣ ବାରିକାଣୀ ଝିଅ। ସେ ପରିସ୍ଥିତି ଚକ୍ରରେ ପଡ଼ି କଲିକତାର ବାରାଙ୍ଗନା ଗଳିରେ ପହଞ୍ଚିଛି । ସେଠାରେ ସେ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ଭାବେ ନିଜକୁ ଗଢ଼ିଛି । ଉଷା ହିଁ କଲିକତାରେ ଦିବାକରଙ୍କୁ ତାଙ୍କର ପାରିବାରିକ ମୂଲ୍ୟବୋଧ ବିଷୟରେ ସଚେତନ କରାଏ ଓ ଗାଁକୁ ଫେରିଯିବାକୁ ପ୍ରେରଣା ଦିଏ ।

 

ଅଇଁଠା ବା ଏଟମ୍ : ଦିବାକରଙ୍କ ଜଣେ ବିଶ୍ୱାସୀ ଓ ସାହସୀ ଚାକର, ନୟନଗଡ଼ ଅଞ୍ଚଳର ଲୋକ । ସେ କଲିକତାରେ ସାମ୍ପ୍ରଦାୟିକ ଦଙ୍ଗା ସମୟରେ ନିଜକୁ ରକ୍ଷା କରିବାକୁ ଯାଇ ବୀରତ୍ୱର ସହ ପ୍ରାଣ ହରାନ୍ତି ।

 

ମଦନବାବୁ : ଗୌରୀଙ୍କ ବାପା ଏବଂ ଜଣେ ସ୍କୁଲ ଶିକ୍ଷକ । ସେ ସମାଜର ବିରୋଧ ସତ୍ତ୍ୱେ ନିଜ ଝିଅକୁ ଉଚ୍ଚ ଶିକ୍ଷା ଦେଇଥିଲେ ।

 

ଡାକ୍ତର ବିଧୁଶେଖର : ତୁହିନଙ୍କ ବାପା, ଜଣେ ଦକ୍ଷ ଡାକ୍ତର। ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯୁଦ୍ଧ କ୍ଷେତ୍ରକୁ ଯାଇଥିଲେ ଏବଂ ପରେ ଆଜାଦ ହିନ୍ଦ୍ ଫୌଜରେ ଯୋଗ ଦେଇ ଶହୀଦ ହୋଇଥିଲେ ।

 

ଅପରାଜିତା ବା ଜିତା: ସାବିତ୍ରୀର ସାନ ଭଉଣୀ। ସେ ଅତି ଚଞ୍ଚଳ ଏବଂ ହସମୁଖୀ ଝିଅ ।

 

କପିଳ ଦାସ : ଗାଁର ଜଣେ ପ୍ରଭାବଶାଳୀ ଟାଉଟର ବା ପୁରୁଣା ମତିଗତିର ଲୋକ (ଶ୍ରୀପଞ୍ଚ), ଯିଏ ଗୌରୀ ଓ ସାବିତ୍ରୀଙ୍କ ସଂସ୍କାରମୂଳକ କାମର ବିରୋଧ କରନ୍ତି ।

 

ଏହା ବ୍ୟତୀତ ଦିବାକରଙ୍କ ପିଲାଦିନର ସାଙ୍ଗ ନରହରି, ଜଣେ ପିତୃହନ୍ତା ଓ ଆତତାୟୀ ସାବିତ୍ରୀର ଜେଜେ ଶ୍ୱଶୁର, ଦିବାକର ଓ ସାବିତ୍ରୀଙ୍କ ଦୁଇପୁଅ- ନୀରଦ ଓ ସୁକୁମାର, ଗୌରୀର ନଣନ୍ଦ ମିନି ଓ ଜଣେ ବୃଦ୍ଧା ପାସୋରୀ ନାନୀ ଇତ୍ୟାଦି ଚରିତ୍ର ମଧ୍ୟ ଉନ୍ୟାସର କଳେବରକୁ ସମୃଦ୍ଧ କରିଛନ୍ତି ।

 

ବିଷୟବସ୍ତୁ :

 

କାହାଣୀଟି ଆରମ୍ଭ ହୁଏ ନାୟକ ଦିବାକରଙ୍କ ସ୍ମୃତିରୁ । ଦିବାକର ନିଜକୁ ଆଜି ପୁରୁଣା ବୋଲି ଅନୁଭବ କରୁଥିଲେ ମଧ୍ୟ ତାଙ୍କ ମନ ଅତୀତକୁ ଫେରିଯାଏ । ସେ ଜଣେ ଆଧୁନିକ ଶିକ୍ଷିତ ଯୁବକ (ଆଇ.ଏ ଫେଲ୍), କିନ୍ତୁ ସେହି ସମୟର ସାମାଜିକ ବ୍ୟବସ୍ଥା ଅନୁସାରେ ତାଙ୍କୁ ଜଣେ ପରମ୍ପରାବାଦୀ ଝିଅ ସାବିତ୍ରୀଙ୍କ ସହ ବିବାହ କରିବାକୁ ପଡ଼ିଥିଲା । ଦିବାକର ବାହାଘର ସେହି ସମୟର ପୁରୁଣା ଓ ନୂଆର ଏକ ଅଜବ ମିଶ୍ରଣ ଥିଲା । ଗୋଟିଏ ପଟେ ବ୍ୟାଗ୍‍ ପାଇପ୍‍ ଓ ଡ୍ରମ୍‍ ଭଳି ଆଧୁନିକ ବାଦ୍ୟ ତ ଅନ୍ୟପଟେ ଶଙ୍ଖ ଓ ହୁଳହୁଳିର ସେହି ପାରମ୍ପରିକ ଶବ୍ଦ । ସାବିତ୍ରୀଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ଓ କଉଡ଼ି ଖେଳ ସମୟରେ ଘଟିଥିବା ହସକୌତୁକ ପାଠକକୁ ସେହି ପୁରୁଣା ସମୟକୁ ନେଇଯାଏ । ଉଷା ନାମ୍ନୀ ଜଣେ ଚଞ୍ଚଳ ବାରିକାଣୀ ଝିଅକୁ ଦେଖିବାକୁ ପାଉ, ଯିଏ ଦିବାକରଙ୍କୁ କଉଡ଼ି ଖେଳରେ ହରାଇ ଦେବାରେ ସାବିତ୍ରୀଙ୍କୁ ସାହାଯ୍ୟ କରୁଥିଲା । ଏହି ଛୋଟ ଛୋଟ ଘଟଣାଗୁଡ଼ିକ ମଧ୍ୟରେ ଏକ ବିରାଟ ଜୀବନର ସଂଗ୍ରାମ ଲୁଚି ରହିଥିଲା ।

 

ସାବିତ୍ରୀଙ୍କ ବଂଶ 'ନୟନଗଡ଼ର ଦଳବେହେରା ବଂଶ' ନିଜର ଆଭିଜାତ୍ୟ ଓ ଶକ୍ତି ପାଇଁ ପ୍ରସିଦ୍ଧ ଥିଲା । କିନ୍ତୁ ସେହି ବଂଶର ଏକ ଭୟଙ୍କର ପରମ୍ପରା ଥିଲା 'ପିତୃହତ୍ୟା'। ସାବିତ୍ରୀଙ୍କ ଜେଜେଶ୍ୱଶୁର ନିଜ ପିତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ରକ୍ତାକ୍ତ ଇତିହାସ ଦିବାକରଙ୍କୁ ସବୁବେଳେ ଭୟଭୀତ ଓ ବିରକ୍ତ କରୁଥିଲା । ସେ ବୁଝିପାରୁ ନଥିଲେ ଯେ କିପରି ଏପରି ଏକ ହିଂସ୍ର ବଂଶର ଝିଅଙ୍କ ସହ ସେ ନିଜ ଜୀବନ ବିତାଇବେ । ଦିବାକର ଚାହୁଁଥିଲେ ସାବିତ୍ରୀ ଓଢ଼ଣା ବାହାରକୁ ଆସନ୍ତୁ, ପଢ଼ାଶୁଣା କରନ୍ତୁ ଏବଂ ଆଧୁନିକ ହୁଅନ୍ତୁ, କିନ୍ତୁ ସାବିତ୍ରୀ ସେତେବେଳେ ନିଜର ପୈତୃକ ଗର୍ବ ଓ ପରମ୍ପରା ମଧ୍ୟରେ ଆବଦ୍ଧ ଥିଲେ ।

 

ଦିବାକର କିଛି ଦିନ ପାଇଁ ଗାଁରେ ରହି କିଛି ନୂଆ କରିବାକୁ ଚାହିଁଲେ। ସେ ପଞ୍ଚାୟତ ଗଢ଼ିଲେ, ଲାଇବ୍ରେରୀ ଖୋଲିଲେ ଏବଂ ଗାଁ ଲୋକଙ୍କୁ ଶିକ୍ଷିତ କରିବାକୁ ଚେଷ୍ଟା କଲେ । କିନ୍ତୁ ଗାଁର ଜାତିବାଦ, ଦଳାଦଳି ଏବଂ ଟାଉଟରମାନଙ୍କ ବିରୋଧ ଯୋଗୁଁ ତାଙ୍କର ସମସ୍ତ ପ୍ରୟାସ । ପୁଣି ତାଙ୍କର ସାବିତ୍ରୀଙ୍କ ସହ ତିକ୍ତତା ଏତେ ବଢ଼ିଗଲା ଯେ, ସେ ସବୁ କିଛି ଛାଡ଼ି କଲିକତା ଚାଲିଯିବାକୁ ନିଷ୍ପତ୍ତି ନେଲେ । ଦିବାକରଙ୍କ ପାଇଁ ଗାଁଟି 'ପୁରୁଣା' ଓ ଅକାମୀ ହୋଇପଡ଼ିଥିବା ବେଳେ କଲିକତା ସହର 'ନୂଆ' ଓ ଆଶାର ଆଲୋକ ଭଳି ପ୍ରତୀୟମାନ ହୋଇଥିଲା ।

 

କଲିକତାରେ ଦିବାକର ଏକ ଭିନ୍ନ ଦୁନିଆ ଦେଖିବାକୁ ପାଇଲେ। ସେଠାରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଆତଙ୍କ ଖେଳି ଯାଇଥାଏ । ସେ ସୈନ୍ୟଛାଉଣୀର ଜଣେ କଣ୍ଟ୍ରାକ୍ଟର ଭାବେ ପ୍ରଚୁର ଅର୍ଥ ଉପାର୍ଜନ କଲେ । ଟଙ୍କା ଓ ପ୍ରତିପତ୍ତିର ନିଶାରେ ସେ ନିଜ ପରିବାର ଓ ସାବିତ୍ରୀଙ୍କୁ ସମ୍ପୂର୍ଣ୍ଣ ଭୁଲିଗଲେ । ଏହି ସମୟରେ ସେ ଜଣେ ମଦ୍ୟପ ପାଲଟି ନିଜର ସୁଖ ଖୋଜିବାକୁ ଲାଗିଲେ ।

 

କଲିକତାର ଗଳିରେ ଦିବାକରଙ୍କର ଭେଟ ହେଲା ଉଷା ସହିତ । ଉଷା ପିଲାଦିନର ସେହି ସରଳ ବାରିକାଣୀ ଝିଅ ହୋଇ ନଥିଲା । ସେ ପରିସ୍ଥିତି ଚକ୍ରରେ ପଡ଼ି କଲିକତାର ବାରାଙ୍ଗନା ପଲ୍ଲୀରେ ପହଞ୍ଚିଥିଲା ଏବଂ ଜଣେ ଅଭିନେତ୍ରୀ ଭାବେ ନିଜକୁ ଗଢ଼ିଥିଲା । ଉଷା ହିଁ ଦିବାକରଙ୍କୁ ତାଙ୍କ ଜୀବନର ଅସାରତା ବୁଝାଇଲା ଏବଂ ନିଜ ସ୍ତ୍ରୀ-ପିଲାଙ୍କ ପାଖକୁ ଫେରିଯିବାକୁ ଅନୁରୋଧ କଲା ।

 

ଅନ୍ୟପକ୍ଷରେ ଗାଁରେ ଏକ ନୂଆ ବିପ୍ଳବ ଆରମ୍ଭ ହୋଇଥିଲା । ଗୌରୀ ନାମ୍ନୀ ଜଣେ ଶିକ୍ଷିତ ଓ ସାହସୀ ମହିଳା ସାବିତ୍ରୀଙ୍କ ବାଲ୍ୟବନ୍ଧୁ ଥିଲେ । ସେ ସାବିତ୍ରୀଙ୍କୁ ନୂଆ ବାଟ ଦେଖାଇଲେ-। ଗୌରୀ ନିଜେ ଅନେକ ଦୁଃଖ ସହିଥିଲେ—ତାଙ୍କ ବାନ୍ଧବ ତୁହିନଙ୍କୁ ହରାଇବା ଏବଂ ସମାଜର ଲାଞ୍ଛନା ପାଇବା ସତ୍ତ୍ୱେ ସେ ହାରି ନଥିଲେ । ଗୌରୀଙ୍କ ପ୍ରେରଣାରେ ସାବିତ୍ରୀ ଓଢ଼ଣା ଫିଙ୍ଗି ବାହାରକୁ ଆସିଲେ । ସେମାନେ ଗାଁରେ ମହିଳାମାନଙ୍କୁ ଶିକ୍ଷିତ କରିବା ଏବଂ ହାତକାମ ଶିଖାଇବା ଆରମ୍ଭ କଲେ ।

 

ଏହି ପରିବର୍ତ୍ତନକୁ ଗାଁର ପୁରୁଣା ମତିଗତିର ଲୋକେ ଗ୍ରହଣ କରିପାରିଲେ ନାହିଁ। କପିଳ ଦାସ ଓ ନରହରିଙ୍କ ଭଳି ଲୋକମାନେ ଏହାକୁ ବିରୋଧ କଲେ ଏବଂ ଶେଷରେ ଗୌରୀ ଓ ସାବିତ୍ରୀଙ୍କୁ ଜଙ୍ଗଲ ବାଟରେ ଆକ୍ରମଣ କଲେ । ଏହି ଆକ୍ରମଣରେ ସାବିତ୍ରୀ ଗୁରୁତର ଭାବେ ଆହତ ହେଲେ । ସାବିତ୍ରୀଙ୍କ ଏହି ରକ୍ତାକ୍ତ ଅବସ୍ଥା ହିଁ ଦିବାକରଙ୍କୁ ଗାଁକୁ ଫେରାଇ ଆଣିବାରେ ସଫଳ ହେଲା ।

 

ଦିବାକର ଯେତେବେଳେ ଗାଁକୁ ଫେରିଲେ, ସେ ଦେଖିଲେ ଯେ ସାବିତ୍ରୀ ଆଉ ଆଗର ସେହି ଦୁର୍ବଳ ଓ ଅସହାୟ ସ୍ତ୍ରୀ ହୋଇ ରହିନାହାନ୍ତି। ସେ ଜଣେ ଆତ୍ମନିର୍ଭରଶୀଳ ଓ ଦୃଢ଼ମନା ନାରୀ ଭାବରେ ସାରିଛନ୍ତି । ନିଜେ ଜମିବାଡ଼ି ଚାଷ କରି ପିଲାଙ୍କୁ ମଣିଷ କରିବାର ଶକ୍ତି ରଖିଛନ୍ତି । ଏହି ବାସ୍ତବତା ଦିବାକରଙ୍କୁ ସ୍ତବ୍ଧ କରିଦେଲା । ଏହି ସମୟରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ଖବର ପୂରା ଦେଶ ସହିତ ଦିବାକରଙ୍କୁ ମଧ୍ୟ ସ୍ତବ୍ଧ। ଗୌରୀଙ୍କର ସେହି ଅନବରତ କାମ କରିବାର ଜିଦ୍ ଏବଂ ତାଙ୍କର ନିର୍ଭୀକ ଦୃଷ୍ଟି ସାମ୍ନାରେ ଦିବାକର ନିଜକୁ ଜଣେ ଅପରାଧୀ ଭଳି ମନେ କଲେ । ସେ ବୁଝିଲେ ଯେ ସମୟ ବଦଳି ଯାଇଛି ଏବଂ ସେହି ବଦଳୁଥିବା ସମୟ ସହ ତାଙ୍କୁ ମଧ୍ୟ ବଦଳିବାକୁ ହେବ ।

 

ଉପସଂହାର :

 

ସମୟର ଚକ ଓ ପରିବର୍ତ୍ତନର ଧାରା 'ଆଜିର ମଣିଷ' ଉପନ୍ୟାସରେ ପ୍ରତିପାଦିତ ହୋଇଛି । ଆମକୁ ଏହି ଶିକ୍ଷା ଦିଏ ଯେ ସଂସାରରେ କୌଣସି ଜିନିଷ ସ୍ଥିର ନୁହେଁ। ଲେଖକଙ୍କ ଭାଷାରେ, ଜୀବନ ହେଉଛି ଏକ ଚଳନ୍ତ ବସ୍ତୁ ଏବଂ ପଦ୍ମପତ୍ରର ପାଣି ଟୋପାଏ ପରି ଏହା ଅତି ଚଞ୍ଚଳ ଓ ଅସ୍ଥିର ।

 

ଚରିତ୍ରମାନଙ୍କର ଅନ୍ତରୀଣ ରୂପାନ୍ତର ଉପନ୍ୟାସର ବଡ଼ ବିଶେଷ୍ୱତ । ସମସ୍ତ ଚରିତ୍ର ପରିବର୍ତ୍ତନର ଦେଇ ଗତି କରିଛନ୍ତି। ସାବିତ୍ରୀ କାହାଣୀର ଆରମ୍ଭରେ ଜଣେ ଓଢ଼ଣାବତୀ ଓ ପରମ୍ପରାବାଦୀ ସ୍ତ୍ରୀ ଥିଲେ ମାତ୍ର ଶେଷରେ ସେ ସମାଜର କୁତ୍ସା ଓ ଆକ୍ରମଣକୁ ସହି ଜଣେ ଦୃଢ଼ମନା ବିପ୍ଳବୀ ଭାବେ ଉଭା ହୋଇଛନ୍ତି । ତାଙ୍କର ଏହି ନବଜନ୍ମ ପ୍ରମାଣ କରେ ଯେ ନାରୀ କେବଳ ଦୁର୍ବଳା ନୁହେଁ, ବରଂ ପରିସ୍ଥିତି ଆସିଲେ ସେ ପୂରା ସମାଜକୁ ନେତୃତ୍ୱ ଦେଇପାରେ । ସେହିପରିଦିବାକର ଜଣେ ଶିକ୍ଷିତ ଯୁବକ ହୋଇ ମଧ୍ୟ ନିଜର ଅହଂକାର ଓ ସହରୀ ଜୀବନର ମାୟାରେ ହଜି ଯାଇଥିଲେ କିନ୍ତୁ ଶେଷରେ ଗୌରୀର ତୀକ୍ଷ୍ଣ ଦୃଷ୍ଟି ସାମ୍ନାରେ ନିଜକୁ ଜଣେ 'ଅପରାଧୀ' ଭଳି ଅନୁଭବ କଲେ । ଏହି ଆତ୍ମଜ୍ଞାନ ହିଁ ତାଙ୍କୁ ଜଣେ ପ୍ରକୃତ 'ଆଜିର ମଣିଷ' ଭାବେ ଗଢ଼ି ତୋଳିଛି।

 

ଜୀବନଟା ଗୋଟାଏ ଚେସ୍ ବା କଉଡ଼ି ଖେଳ ଭଳି । ଏଠାରେ କିଏ କେତେବେଳେ ଜିତିବ କି ହାରିବ ତାହା କେହି କହିପାରିବେ ନାହିଁ । ଖେଳରେ ଭାଗ ନେବା ଏବଂ ସାହସର ସହିତ ପରିସ୍ଥିତିର ସାମ୍ନା କରିବା ହିଁ ସବୁଠୁ ବଡ଼ କଥା ।

 

‘ଆଜିର ମଣିଷ’ ଉପନ୍ୟାସରେ ଚରିତ୍ରାୟନ ,ଭାବ ଓ ଦର୍ଶନର ଚମତ୍କାର ସମନ୍ୱୟ ସହିତ ନିଃସ୍ୱାର୍ଥପର ପ୍ରେମ, ଜୀବନ ସଂଘର୍ଷ ରୂପାୟିତ ହୋଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧର ଆତଙ୍କ ମାହାତ୍ମା ଗାନ୍ଧୀଙ୍କ ପରଲୋକ ଇତ୍ୟାଦି ମଧ୍ୟ ଉପନ୍ୟାସରେ ବର୍ଣିତ ହୋଇଛି ।

Image